ପ୍ରତିରକ୍ଷଣ ପ୍ରକ୍ରିୟା (Immunization) ହେଉଛି ଏପରି ଏକ ପ୍ରକ୍ରିୟା ଯାହାର ଉଦ୍ଦେଶ୍ୟ ହେଉଛି ଆଣ୍ଟିବଡିର ପ୍ରୟୋଗ ଦ୍ୱାରା ବିବିଧ ଅଣୁଜୀବଙ୍କ କବଳରୁ ଶରୀରକୁ ରକ୍ଷା କରିବା ।
ବସନ୍ତ ରୋଗ ଏକ ପ୍ରାକୃତିକ ରୋଗ, ଯାହା ପ୍ରାୟ ଖ୍ରୀଷ୍ଟପୂର୍ବ ୧୦୦୦୦ ମସିହା ବେଳକୁ ଦେଖାଯାଇଥିବାର ଅନୁମାନ କରାଯାଏ । ମନୁଷ୍ୟ ମନରେ ପ୍ରତିଷେଧକ ଟିକାର ଧାରଣା ସୃଷ୍ଟି ହେବାର କାହାଣୀ କିଛି ଏପରି । ସେତେବେଳର ଲୋକମାନେ ଏପରି କିଛି ଲକ୍ଷ୍ୟ କଲେ ଯେ, ଯଦି ବସନ୍ତ ରୋଗୀର ଘା’ର ଚୋପାକୁ ସୁସ୍ଥ ବ୍ୟକ୍ତିର ଦେହରେ ଘଷାଯାଏ, ତେବେ କିଛି ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଇପାରୁଛି । ମନୁଷ୍ୟ ଶରୀରରେ ଏହି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ପ୍ରକ୍ରିୟା ହେଉଛି ସକ୍ରିୟ ପ୍ରତିରକ୍ଷଣ ପ୍ରକ୍ରିୟା (Active Immunization) । ଏହିପରି ପଦ୍ଧତିଗୁଡିକ ଭିନ୍ନ ଭିନ୍ନ ପ୍ରକାରରେ ପୃଥିବୀର ବିଭିନ୍ନ ଦେଶରେ ପ୍ରୟୋଗ କରାଯାଇଥିଲେ ହେଁ ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଥିଲା । ସେହିପରି ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଏପରି କିଛି ଲକ୍ଷ୍ୟ କରାଯାଇଥିଲା ଯେ, ଯେଉଁ ବ୍ୟକ୍ତିମାନେ ଗୋବସନ୍ତ ରୋଗର ଭୂତାଣୁ ଦ୍ଵାରା ଆକ୍ରାନ୍ତ ହେଉଥିଲେ, ସେମାନେ ପରବର୍ତ୍ତୀ ସମୟରେ ବସନ୍ତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ ରହୁଥିଲା । ଏହି ଧାରଣାକୁ ବ୍ୟବହାର କରି ବ୍ରିଟିଶ ବୈଜ୍ଞାନିକ ଏଡୱାର୍ଡ ଜେନର ୧୭୯୬ ମସିହାରେ ପ୍ରଥମେ ପ୍ରତିଷେଧକ ଟିକାର ଉଦ୍ଭାବନ କରିଥିଲେ । ପରେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଲୁଇସ୍ ପାଶ୍ଚର ୧୮୮୫ ମସିହାରେ ଜଳାତଙ୍କ ରୋଗ ସୃଷ୍ଟିକାରୀ ଭୂତାଣୁକୁ ନିଷ୍କ୍ରିୟ କରି ଏକ ଟିକାର ଉଦ୍ଭାବନ କରିଥିଲେ । ପରବର୍ତ୍ତୀ ସମୟରେ ରୋଗ ସୃଷ୍ଟିକାରୀ ଅଣୁଜୀବ ମାନଙ୍କ ଜୀବନ୍ତ ଓ ନିଷ୍କ୍ରିୟାବସ୍ତାକୁ ବ୍ୟବହାର କରି କଣ୍ଠଅଳତି (୧୮୮୮), ପ୍ଲେଗ୍ (୧୮୯୭), ଯକ୍ଷ୍ମା (୧୯୨୭), ପୀତଜ୍ଵର (୧୯୩୬), ମିଳିମିଳା (୧୯୬୩), ଗାଲୁଆ (୧୯୬୮), ରୁବେଲା (୧୯୬୯), ହାଡଫୁଟି (୧୯୯୫), ରୋଟା ଭାଇରସ (୧୯୯୮) ଆଦି ରୋଗ ପାଇଁ ଟିକା ବାହାରି ପାରିଛି । ଫଳସ୍ଵରୂପ ବିବିଧ ରୋଗରେ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କମାଯାଇ ପାରିଛି ।
ଏହା ବ୍ୟତୀତ ଜୈବ ପ୍ରଦ୍ୟୋଗିକୀ ବିଦ୍ୟା (Biotechnology) ବର୍ତ୍ତମାନ ଟିକା ବିକାଶରେ ପ୍ରମୂଖ ଭୂମିକା ଗ୍ରହଣ କରିଛି । ପୂର୍ବରୁ ବର୍ଣ୍ଣିତ ରୋଗ ବ୍ୟତୀତ ଅଣ ସଂକ୍ରାମକ ରୋଗ ମାନଙ୍କ ପାଇଁ ଏହି ପଦ୍ଧତି ଅନୁସରଣ କରାଯାଉଛି । ପୂର୍ବରୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କୁ ଲକ୍ଷ୍ୟକରି ପ୍ରତିଷେଧକ ଟିକା ବିକଶିତ ହେଉଥିବା ବେଳେ ବର୍ତ୍ତମାନ ରୋଗ ଜନିତ ଶାରୀରିକ, କୋଷୀୟ ଓ ଆଣବିକ ପରିବର୍ତ୍ତନକୁ ବ୍ୟବହାର କରି ଟିକାର ବିକାଶ କରାଯାଉଛି । ଏହାଛଡା ପୁନଃ ସଂଯୋଜକ ନାନୋପାର୍ଟିକଲ୍ସ୍ (Recombinant Nanoparticles) ଏବଂ କୃତ୍ରିମ ପ୍ରୋଟିନ ମାଧ୍ୟମରେ ଏକ ଅନୁକରଣ ପ୍ରକ୍ରିୟା ଦ୍ବାରା ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରାଯାଇପାରୁଛି।
ବର୍ତ୍ତମାନର କୋଭିଡ-୧୯ ରୋଗ ନିମନ୍ତେ ବିକଶିତ ହୋଇଥିବା ଟିକା ଗୁଡ଼ିକ ଉପର ବର୍ଣ୍ଣିତ ପଦ୍ଧତି ଅନୁସରଣ କରି ତିଆରି କରାଯାଉଛି । ଉଦାହରଣ ସ୍ୱରୂପ ମଡର୍ଣ୍ଣା ଟିକା, ଫାଇଜର ଟିକା, ଅକ୍ସଫୋର୍ଡ ପରି ଟିକା ନ୍ୟୁକ୍ଲିକ୍ ଏସିଡର ଆଣବିକ ଅନୁକ୍ରମକୁ ବ୍ୟବହାର କରି ତଥା ସିନୋଫାର୍ମ, ସିନୋଭାକ ଓ କୋଭାକ୍ସିନ ପରି ଟିକା ଗୁଡ଼ିକ ବିଟା ପ୍ରୋପିଓଲାକ୍ଟନ ପରି ଏକ ସ୍ଵତନ୍ତ୍ର ରସାୟନ ଦ୍ଵାରା ରୋଗ ସୃଷ୍ଟିକାରୀ ଭୂତାଣୁ SARS-CoV2 କୁ ନିଷ୍କ୍ରିୟ କରି ବିକଶିତ କରାଯାଇଛି ।
ଏହିପରି ଭାବରେ ବିଗତ ୨୦୦ ବର୍ଷ ଧରି ପ୍ରତିଷେଧକ ଟିକା ମନୁଷ୍ୟ ଜୀବନର ଏକ ଅଂଶବିଶେଷ ହୋଇରହିଛି । ତଥାପି ଏହାର ବିକାଶ କ୍ଷେତ୍ରରେ ତଥା ମନୁଷ୍ୟ ଶରୀରରେ ଏହାର ପ୍ରବେଶ କରାଇବାର ପଦ୍ଧତିରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହା ବ୍ୟତୀତ ବହୁ ଗୁରୁତ୍ଵପୂର୍ଣ୍ଣ ଏବଂ ଦୀର୍ଘସ୍ଥାୟୀ ଟିକାର ବିକାଶ ସହିତ ମ୍ୟାଲେରିଆ, ଏଡ଼ସ ଆଦି ସାଙ୍ଘାତିକ ସଂକ୍ରାମକ ରୋଗର ଟିକାର ଉଦ୍ଭାବନ ମନୁଷ୍ୟ ଜାତି ପାଇଁ ପ୍ରଧାନ ଆହ୍ଵାନ ରୂପେ ଛିଡା ହୋଇଛି । ଏପରିକି ଅନେକ ଗୁଡ଼ିଏ ଟିକା ରହିଛି ଯାହାର ସଂରକ୍ଷଣ ପାଇଁ ବିଯୁକ୍ତ ବା ବହୁ କମ୍ ତାପମାତ୍ରା ଆବଶ୍ୟକ ହୋଇଥାଏ । ଏଣୁ ପୃଥବୀର ସବୁ ସ୍ଥାନରେ ସେସବୁକୁ ପହଞ୍ଚାଇବା ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ ଆମକୁ ଏପରି ଟିକାମାନ ବିକାଶ କରିବାକୁ ପଡ଼ିବ ଯାହାକୁ ସାଧାରଣ ତାପମାତ୍ରା ବା ତାହାଠାରୁ ଅଳ୍ପ କମ୍ ତାପମାତ୍ରାରେ ବହୁଦିନ ଯାଏଁ ରଖିହେବ। ଏହାଛଡା ନୂଆ କରି ଦେଖାଦେଉଥିବା ବିଭିନ୍ନ ରୋଗ ପାଇଁ ପ୍ରଭାବଶାଳୀ ଟିକା ଅତି କମ୍ ସମୟରେ ବନେଇବା ଏକାନ୍ତ ଆବଶ୍ୟକ ।
ବର୍ତ୍ତମାନ ନିଜର କାୟା ବିସ୍ତାର କରିଥିବା କୋଭିଡ-୧୯ ରୋଗର ପ୍ରତିହତ ପାଇଁ ବୈଜ୍ଞାନିକମାନେ ଯେପରି ପ୍ରଭାବଶାଳୀ ଟିକା ଅଟି ସ୍ୱଳ୍ପ ସମୟରେ ବିକଶିତ କରିବାରେ ସମର୍ଥ ହୋଇଛନ୍ତି, ତାହାକୁ ଦେଖିଲେ ଏପରି ମାନେ ହୁଏ ଯେ ମନୁଷ୍ୟ ସମାଜ ବିଜ୍ଞାନ ମାଧ୍ୟମରେ ଯେକୌଣସି ଲକ୍ଷ୍ୟ ସାଧନରେ ସମର୍ଥ ।
ଆଧାର: