ଖଣିଜ ସମ୍ବଳରେ ପରିପୂର୍ଣ୍ଣ ଓଡ଼ିଶା ବକ୍ସାଇଟ, ଚୀନାମାଟି, କ୍ରୋମାଇଟ, କୋଇଲା, ଡୋଲମାଇଟ୍, ଗ୍ରାଫାଇଟ,ଲୌହପଥର,ଚୁନପଥର,ମାଙ୍ଗାନିଜ,ଆଦିର ମୁଖ୍ଯ ଉତ୍ପାଦକ। ଏଥିସହିତ ଖୁବ୍ କମ୍ ପରିମାଣର କାଡମିୟମ୍ ମଧ୍ଯ ଓଡ଼ିଶା ମାଟିରେ ମିଳିଥାଏ। କିନ୍ତୁ ଓଡ଼ିଶା ରାଜ୍ୟରେ ଅନିୟନ୍ତ୍ରିତ ଖଣିଜ ଉତ୍ତୋଳନ ତଥା ପରିଚାଳନାରେ ଅବ୍ୟବସ୍ଥା ହେତୁ ବହୁତ ପରିମାଣର କାଡମିୟମ୍ ଧୋଇ ହୋଇ ଜଳସ୍ରୋତରେ ମିଶିଥାଏ। ଏହି ଛୋଟ ଛୋଟ ଜଳସ୍ରୋତ ଯେତେବେଳେ ମହାନଦୀ ତଥା ବ୍ରାହ୍ମଣୀ ପରି ବୃହତ୍ ନଦୀ ମାନଙ୍କୁ ଜଳ ଯୋଗାଇଥାନ୍ତି ସେତେବେଳକୁ କାଡମିୟମ୍ ର ମାତ୍ରା ବିପଦସୀମା ଡେଇଁ ସାରିଥାଏ।
ଓଡ଼ିଶାର ନଦୀମାନେ ଏହାର ପ୍ରାଣଧାର। ବହୁତ କମ୍ ପରିମାଣର କାଡମିୟମ୍ ପିଇବା ପାଣିରେ ଥିଲେ ମଧ୍ଯ ଏହା ଦ୍ବାରା ଅଷ୍ଟିଓମାଲେସିଆ (osteomalacia), ବୃକକ୍ ସ୍ୱାଭାବିକ ଭାବେ କାର୍ଯ୍ଯ ନକରିବା (kidney dysfunction),ମାଂସପେଶୀ ଦୁର୍ବଳ ହେବା(muscle weakening), ଅଷ୍ଟିଓପୋରୋସିସ୍(osteoporosis), ପରି ପ୍ରାଣଘାତୀ ସମସ୍ୟା ସୃଷ୍ଟି କରେ। ଏହା ମଧ୍ଯ କେତେକାଂଶରେ କର୍କଟ ରୋଗର ଜନକ। ଜାପାନ ଦେଶରେ ଦେଖାଯାଇଥିବା ଇତାଇ-ଇତାଇ ରୋଗ (Itai-Itai disease) ମଧ୍ଯ କାଡମିୟମ୍ ପ୍ରଦୂଷଣ ପାଇଁ ଘଟିଥିଲା। ଯଦି ଖୁବ୍ ସାମାନ୍ଯ ପରିମାଣର କାଡମିୟମ୍ ମଧ୍ଯ ଅସାବଧାନତା ହେତୁ ଗ୍ରହଣ କରାଯାଏ ତେବେ ଆକ୍ଟିଭେଟେଡ୍ ଚାର୍ କୋଲ୍ (activated charcoal )ବା ଅଙ୍ଗାରକ ଦ୍ବାରା ମଧ୍ଯ ଏହାକୁ ଶରୀର ମଧ୍ଯରୁ ଅବଶୋଷଣ କରାଯାଇପାରେ ନାହିଁ।
ସ୍ୟୁଡୋମୋନାସ ଏରୁଜିନୋସା (Pseudomonas aeruginosa) ଗୋଟିଏ ଗ୍ରାମ ନେଗେଟିଭ (gram -ve) ବୀଜାଣୁ (bacteria)ଏହା ଏକ ଫଳପ୍ରଦ ଜୈବ ଅବଶୋଷକ ଏହା ବହୁ ମାତ୍ରାରେ କାଡମିୟମ୍, ତମ୍ବା, ଓ ସୀସା ପରି ଭାରି ଧାତୁଗୁଡ଼ିକର ଅବଶୋଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହାର ମୃତ କୋଷିକା ମଧ୍ୟ ଜୈବ ଅବଶୋଷଣ କରିଥାଏ। ଏହି ବୀଜାଣୁ ପରୀକ୍ଷାଗାରରେ ସଂକ୍ରମିତ ଦ୍ରବଣରୁ ୯୪.୭୪% କାଡମିୟମ୍ ମାତ୍ର ୬୦ ମିନିଟରେ ବାହାର କରିଦେଇପାରେ। ଏହି ଅବଶୋଷିତ କାଡମିୟମ୍ ଜୈବନିଃସାରଣ (phytoextraction) ପ୍ରକ୍ରିୟାରେ ପୁଣି ବ୍ୟବହାର ଉପଯୋଗୀ ଧାତୁ କରାଯାଇପାରିବ।
ଆମେ ମଧ୍ୟ ଜିନୀୟ ଅଭିଯାନ୍ତ୍ରିକୀ (genetic engineering) ବ୍ୟବହାର କରି ଭାରି ଧାତୁ ମୃତ୍ତିକାରୁ ବାହାର କରିବାର କ୍ଷମତା କୁ ବଢେଇପରିବା। ଏହି ଜିନୀୟ ବିବର୍ତ୍ତିତ ଜିବାଣୁ ମାନଙ୍କୁ ଭାରି ଧାତୁ ପ୍ରଦୂଷଣ ସ୍ଥାନମାନଙ୍କରେ ସ୍ଥାପନ କଲେ ପ୍ରାକୃତିକ ଉପାୟରେ ଭାରି ଧାତୁର ପରିମାଣ ହ୍ରାସ କରାଯାଇପାରିବ। ଏହି ସ୍ୟୁଡୋମୋନାସ ବୀଜାଣୁ ଉଦ୍ଭିଦ ମାନଙ୍କର ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।
ପୃଥିବୀର କୋଣ ଅନୁକୋଣରେ ପରିବେଶ ସୁରକ୍ଷା ପାଇଁ ଗବେଷଣା ଚାଲୁଛି। ବହୁତ କିଛି ତଥ୍ୟ ଏବେବି ଉଦ୍ଭାବନର ଅପେକ୍ଷାରେ ଅଛନ୍ତି। ସ୍ୟୁଡୋମୋନାସ ଉପରେ ଗବେଷଣା ଯଦି କାର୍ଯ୍ୟକାରୀ କରାଯାଏ ତେବେ ଜନସାଧାରଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରାଯାଇ ପାରିବ।
Written By-
Usha Kiran Sahoo