ଜୀବନର ସଫ୍ଟୱେର୍ ପୁନର୍ଲିଖନ କରିବା

-Akankshya Sahu


ଆପଣଙ୍କ ବିଦ୍ୟାଳୟ ଦିନରେ, ଆପଣମାନେ ନିଶ୍ଚିତ ଭାବରେ ୱାଟସନ ଏବଂ କ୍ରିକଙ୍କ ପରି ବୈଜ୍ଞାନିକମାନଙ୍କ ବିଷୟରେ ଶିକ୍ଷା ପାଇଥିବେ - ଯେଉଁମାନେ ୧୯୫୩ ମସିହାରେ ଡ଼ିଏନ୍ଏ ର ଦ୍ଵି-ଚକ୍ରାକାର ନମୁନା ଆବିଷ୍କାର କରି ଜୀବନର ରହସ୍ୟକୁ ବ୍ୟାଖ୍ୟା କରିଥିଲେ | ଡ଼ିଏନ୍ଏରେ ମିଳୁଥିବା ଜିନୀୟ ଅଂଶଗୁଡିକରୁ (ଜିନ୍ ଏବଂ ନିୟାମକ କ୍ରମ) ସୃଷ୍ଟି ହୋଇଛି “ଜୀବନ”ର ସ୍ରୋତକୁ ଚଲାଉଥିବା ନିୟମ | ଜୀବନର ସମସ୍ତ ସୂଚନା ସାଙ୍କେତିକ ଭାବେ ଲେଖାଯାଇଛି A, T, G ଏବଂ C ଚାରୋଟି ଅକ୍ଷର ବ୍ୟବହାର କରି। ତେବେ ଆମର କାର୍ଯ୍ୟ ହେଉଛି ଏହି ଚାରୋଟି ଅକ୍ଷର ବ୍ୟବହାର କରି ଏକ କ୍ରମ ଗଠନ କରିବା ଯାହା ଏକ ପୁଷ୍ଟିସାର ଯଥା ଇନସୁଲିନ୍ ତିଆରି ପାଇଁ ଏକ ଅକ୍ଷର ସଂରଚନା ସୃଷ୍ଟି କରେ | ଯଦି ଏହା ଆପଣଙ୍କୁ ସଫ୍ଟୱେର୍ ପାଇଁ କୋଡିଂ ପରି ମନେ ହେଉଛି, ତେବେ ଆପଣ ଠିକ୍ କହିଛନ୍ତି! ଯଦି ଆପଣଙ୍କ ପାଖରେ ଏକ ଜୀବର ଅକ୍ଷର ସଂରଚନା ଅଛି, ତେବେ ଆପଣ ଏହାକୁ କାର୍ଯ୍ୟୋପଯୋଗୀ ଉଦ୍ଦେଶ୍ୟରେ ପୁନଃ ନିର୍ମାଣ କରିପାରିବେ | ଯେତେବେଳେ ଜୀବବିଜ୍ଞାନୀମାନେ କ୍ରେଗ୍ ଭେଣ୍ଟର୍ ପରି ଇଞ୍ଜିନିୟର୍ ମାନଙ୍କର ମାନସିକତା ବିକାଶ କରନ୍ତି ଏବଂ ସେମାନେ ହିଁ ଜୀବନର ସଫ୍ଟୱେର୍ ପୁନଃ ଲିଖନ କରିବାର କଳ୍ପନାକୁ ବାସ୍ତବରେ ପରିଣତ କରନ୍ତି |
iGEM IISER Berhampur

୨୦୦୦ ଦଶକ ପ୍ରାରମ୍ଭରେ “ସଂଶ୍ଳେଷିତ ଜୀବବିଜ୍ଞାନ” ର ଆଗମନ ଜୀବବିଜ୍ଞାନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ବୋଲି ପ୍ରମାଣିତ ହୋଇଥିଲା | ସେବେଠାରୁ ଏହା ବିଜ୍ଞାନରେ ଚରମ ପରିବର୍ତ୍ତନ ଆଣିଛି। ଜଟିଳ ଜିନୀୟ ପରିପଥର ନକ୍ସା ପ୍ରସ୍ତୁତ କରିବା, ଜୀବନ୍ତ କୋଷଗୁଡ଼ିକରେ ଏହାକୁ ପରିଚାଳନା କରିବା ଏବଂ ନୂତନ ପୂର୍ବାନୁମାନଯୋଗ୍ୟ ପରିଣାମ ପ୍ରଦାନ କରିବାର ସାମର୍ଥ୍ୟ ରହିଛି। ଏଥିରେ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଜୈବଇନ୍ଧନ ପର୍ଯ୍ୟନ୍ତ ବିଭିନ୍ନ ଗବେଷଣା ପ୍ରୟୋଗ ରହିଛି | କେତେକ ଉଲ୍ଲେଖନୀୟ ପ୍ରୟୋଗଗୁଡ଼ିକ ଆବୁ କୋଷଗୁଡ଼ିକୁ ଚିହ୍ନଟ କରିବା, ଫସଲକୁ ରୋଗ ସୃଷ୍ଟି କରୁଥିବା ରୋଗରୁ ରକ୍ଷା କରିବା, ଜୈବ-ଅଭିଯାନ୍ତ୍ରିତ ବୀଜାଣୁମାନଙ୍କ ଦ୍ଵାରା ପ୍ଲାଷ୍ଟିକ୍ ଓ ବିଷାକ୍ତ ରାସାୟନିକ ପଦାର୍ଥକୁ ବାୟୁମଣ୍ଡଳ କିମ୍ବା ଜଳ ମଧ୍ୟରେ ଏକ ପରିବେଶ ଅନୁକୂଳ ଉପାୟରେ ଅପଘଟନ କରିବା ଆଦି ଅନ୍ୟତମ| କୌତୁହଳର ବିଷୟ, ଏହା ମଧ୍ୟ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁରରେ( IISER BERHAMPUR) ଆମ ଦଳର ଆଇଜିଇଏମ୍ (iGEM) ପ୍ରକଳ୍ପର ମୂଳଭିତ୍ତି ଅଟେ |

Indian Institute of Science Education and Research (IISER) Berhampur

ଆନ୍ତର୍ଜାତୀୟ ଜେନେଟିକ୍ ଇଞ୍ଜିନିୟରିଂ ମେସିନ୍ କିମ୍ବା ଆଇଜିଇଏମ୍ ପ୍ରତିଯୋଗିତାର ଉତ୍ପତ୍ତି ୨୦୦୪ ମସିହାରୁ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ରେ ଆରମ୍ଭ ହୋଇଥିଲା ଯେତେବେଳେ ଏହା ମାତ୍ର ୫ଟି ଦଳ ସହିତ ଆରମ୍ଭ ହୋଇଥିଲା | ଆଜି ପର୍ଯ୍ୟନ୍ତ, ଆଇଜିଇଏମ୍ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟମାନଙ୍କରୁ ଉତ୍ସାହିତ ଯୁବକ ବିଦ୍ୟାର୍ଥୀମାନଙ୍କର ୩୫୨ ଦଳକୁ ବୃଦ୍ଧି ପାଇଛି | ଆଇଜିଇଏମ୍ ​​ହେଉଛି ଏକ ଅଣ-ଲାଭ ସଂଗଠନ ଯାହା ସଂଶ୍ଳେଷିତ ଜୀବବିଜ୍ଞାନ କ୍ଷେତ୍ରରେ ଗବେଷଣା ଏବଂ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ସମର୍ପିତ ସୁଯୋଗ ଏହା ସହିତ ଏକ ମୁକ୍ତ ସମ୍ପ୍ରଦାୟ ସୃଷ୍ଟି କରି ସଂଶ୍ଳେଷିତ ଜୀବବିଜ୍ଞାନର ସୀମାକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି | ଆଇଜିଇଏମ୍ ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଆପଣଙ୍କୁ ଏକ ଦଳ ପଞ୍ଜିକରଣ କରିବାକୁ ପଡିବ, ଯେଉଁଥିରେ ସର୍ବାଧିକ ୧୫ ଜଣ ସଦସ୍ୟ ରହିପାରିବେ ଏବଂ ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ, ଗଣିତ ଏବଂ ରସାୟନ ବିଜ୍ଞାନ ସହିତ ବିଭିନ୍ନ ବିଭାଗର ଛାତ୍ରମାନେ ଭାଗ ନେଇ ପାରିବେ|

ଆଇଜିଇଏମ୍ ଦଳ ଜାନୁଆରୀରୁ ବୈଠକ ଆରମ୍ଭ କରନ୍ତି | ଦଳର ଉପଦେଷ୍ଟାମାନଙ୍କ ସାହାଯ୍ୟରେ, ଛାତ୍ରମାନେ ଏକ ପ୍ରକଳ୍ପ ବାଛନ୍ତି ଯାହା ସେମାନଙ୍କ ଆଗ୍ରହ ସହିତ ମେଳ ଖାଏ ଏବଂ ଅନୁଷ୍ଠାନର ପରୀକ୍ଷାଗାର ଉତ୍ସ ଏବଂ ଅଭିଜ୍ଞତାର ଲାଭ ଉଠାନ୍ତି | ସେମିଷ୍ଟାର ଅବଧିରେ, ପ୍ରତିଯୋଗୀ ସେମାନଙ୍କର ପ୍ରକଳ୍ପ ବିଚାରର ପର୍ଯ୍ୟାଲୋଚନା କରନ୍ତି, ନୂତନ ଜିନୀୟ ଅଂଶଗୁଡ଼ିକର ରୂପରେଖ ବିକାଶ କରନ୍ତି, ଏବଂ ସେମାନଙ୍କର ପ୍ରକଳ୍ପ ପୂରଣ କରିବା ପାଇଁ ଆବଶ୍ୟକ କରୁଥିବା ପରୀକ୍ଷାଗାର କୌଶଳ ଶିଖିବା ଆରମ୍ଭ କରନ୍ତି | ଏବଂ ଶେଷରେ, ସମସ୍ତ ଆଇଜିଇଏମ୍ ଦଳ ଆଇଜିଇଏମ୍ ଜିଆଣ୍ଟ୍ ଜାମ୍ବୋରୀରେ ବିଚାରପତି ଏବଂ ଅନ୍ୟ ପ୍ରତିଯୋଗୀମାନଙ୍କ ନିକଟରେ ସେମାନଙ୍କର ପ୍ରକଳ୍ପ ଉପସ୍ଥାପନ କରନ୍ତି ଯାହା ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଜୀବନ୍ତ ପ୍ରଣାଳୀ ଏବଂ ଉପକରଣ ସୃଷ୍ଟି କରିବା ପାଇଁ “ଡିଜାଇନ୍-ବିଲ୍ଡ-ଟେଷ୍ଟ-ଲର୍ଣ୍ଣ” ର ଧାରଣା ଉପରେ ଆଧାରିତ | ପ୍ରତ୍ୟେକ ଦଳ ପଦକ ମାନଦଣ୍ଡକୁ ସନ୍ତୁଷ୍ଟ କରିବା ଏବଂ ସମଗ୍ର ବିଶ୍ୱରେ ଦଳ ସହିତ ପ୍ରତିଯୋଗିତା ଉପରେ ଆଧାର କରି ଏକ ପଦକ ଗ୍ରହଣ କରନ୍ତି |

ଆମର ଦଳ, ଆଇଜିଇଏମ୍ ଆଇଜର୍ ବ୍ରହ୍ମପୁର (iGEM IISER Berhampur), ପ୍ରଥମ ଥର ପାଇଁ ଗତ ବର୍ଷ ଆଇଜିଇଏମ୍ ୨୦୨୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ପ୍ରକଳ୍ପ “ ଏଫ୍ ଆର୍ ଏ ପି ପି ଇ (FRAPPE)” ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ, ଆମେ ଅନ୍ୟ କେବେ ସେମାନଙ୍କ ପ୍ରକଳ୍ପ ବିଷୟରେ ଆଲୋଚନା କରିବା| ଆଇଜିଇଏମ୍ ରେ ଏହି ବର୍ଷ ଆମର ଦ୍ୱିତୀୟ ବର୍ଷ |

ଆମର ଦଳ, ବିଜ୍ଞାନର ବିଭିନ୍ନ ବିଭାଗରୁ ଆସିଥିବା ୧୫ ଜଣ ଛାତ୍ରଙ୍କର ଏକ ଗୋଷ୍ଠୀ, ଯାହା ଦ୍ୱାରା ଆମର ଆଇଜିଇଏମ୍ (iGEM) ପ୍ରକଳ୍ପ - କୋଡ୍ ଏମ୍ (CODE M) ଯାହା ଏମ୍ ଡି ଆର୍- ଟିବି (MDR-TB) ଚିହ୍ନଟ ପାଇଁ କ୍ୟାସ୍ ଅପ୍ଟିମାଇଜଡ୍ ଡିଭାଇସ୍ ତିଆରିକୁ ସୂଚିତ କରେ, ଏଥିରେ ଏକ ଆନ୍ତଃବିଭାଗୀୟ ସ୍ୱାଦ ଯୋଡିଥାଏ। ଆମେ ମଲ୍ଟିଡ୍ରଗ୍ ପ୍ରତିରୋଧକ ଯକ୍ଷ୍ମା (MDR-TB) ପାଇଁ ଏକ ଦ୍ରୁତ ମଲିକୁଲାର୍ ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ | ଅଣୁଜୀବନାଶକ ପ୍ରତିରୋଧିତା ସ୍ୱାସ୍ଥ୍ୟସେବା ପାଇଁ ସବୁଠାରୁ ବଡ ବିପଦ ଏବଂ ଏମ୍ ଡି ଆର୍- ଟିବି (MDR-TB) ସେମାନଙ୍କ ମଧ୍ୟରୁ ଅନ୍ୟତମ | ଚାଇନା ପରେ ଭାରତରେ ଏମ୍ ଡି ଆର୍- ଟିବି (MDR-TB) ର ଆକ୍ରାନ୍ତମାନଙ୍କ ହିସାବରେ ଦ୍ୱିତୀୟ ରହିଛି, ପ୍ରତିବର୍ଷ ୧ ଲକ୍ଷରୁ ଅଧିକ ଡ୍ରଗ୍ ପ୍ରତିରୋଧକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଉଛନ୍ତି |ଏମ୍ ଡି ଆର୍- ଟିବି(MDR-TB) ପରି ଏହାର ନିରାକରଣ ମଧ୍ୟ ଏକ ବଡ଼ ଆହ୍ୱାନ। ଆପଣ ଜାଣନ୍ତି କି, ୨୦୧୮ରେ, ଏମ୍ ଡି ଆର୍- ଟିବିର ସମସ୍ତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୬% ଚିହ୍ନଟ ହୋଇନଥିଲେ!!

ଏମ୍ ଡି ଆର୍- ଟିବି ପାଇଁ ବର୍ତ୍ତମାନ ବ୍ୟବହୃତ ରୋଗ ନିରୂପଣ ପଦ୍ଧତିଗୁଡ଼ିକ ଧୀର ଏବଂ ମହଙ୍ଗା ଅଟେ | ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବା ଦେଶମାନଙ୍କରେ, ଏମ୍ ଡି ଆର୍- ଟିବିର ନିଦାନ ସୁବିଧା ସମସ୍ତ ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରି ନାହିଁ| ଏହା ଏମ୍ ଡି ଆର୍- ଟିବିର ନିରୂପଣରେ ବିଳମ୍ବ କିମ୍ବା ଆଦୌ ନିରୂପଣ ହୋଇପାରେନାହିଁ, ଯାହାକି ଏହାର ଭବିଷ୍ୟତରେ ଅଧିକ ସମସ୍ୟା ସୃଷ୍ଟି କରିଥାଏ | ଯଦିଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି “ନିରବ ମହାମାରୀ” କୁ ଦୂର କରିବା ପାଇଁ ବିଭିନ୍ନ ନୀତି ରହିଛି, ତଥାପି ତୃଣମୂଳ ସ୍ତରରେ ପହଞ୍ଚିବାର ଏହି ପ୍ରୟାସ ଫଳପ୍ରଦ ହୋଇପାରି ନାହିଁ। ତେଣୁ, ଆମର ଆଇଜିଇଏମ୍ ପ୍ରକଳ୍ପ ଏହି ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ | ଆମେ ଏକ ମିତବ୍ୟୟୀ, ଶୀଘ୍ର ଏବଂ ନିର୍ଭରଯୋଗ୍ୟ ମଲିକୁଲାର ଡାଇଗ୍ନୋଷ୍ଟିକ୍ କିଟ୍ ର ନକ୍ସା ତିଆରି କରିବାକୁ ଲକ୍ଷ୍ୟ ରଖିଛୁ ଯାହା ପଏଣ୍ଟ-ଅଫ୍ କେୟାର ପରୀକ୍ଷଣ ପାଇଁ ଏକ ନମୁନାରୁ ଯକ୍ଷ୍ମା ଏବଂ ଏମ୍ ଡି ଆର୍- ଟିବି ଚିହ୍ନଟ କରିପାରିବ | ଆମର ପ୍ରକଳ୍ପର ମୁଖ୍ୟ ଚରିତ୍ର ମାନେ ମୂଳତଃ ଭୁତାଣୁ ସଂକ୍ରମଣ ବିରୁଦ୍ଧରେ ବ୍ୟବହୃତ ବୀଜାଣୁ ପ୍ରତିରକ୍ଷା ପ୍ରଣାଳୀରୁ ଉତ୍ପନ୍ନ ହୋଇଥିଲେ ଯେପରିକି କ୍ରିସପର୍ / କାସ୍ (CRISPR/ Cas) ତନ୍ତ୍ର - ଯାହା ଜୈବପ୍ରଯୁକ୍ତିବିଦ୍ୟା ( biotechnology) ରେ ଉଲ୍ଲେଖନୀୟ ପ୍ରୟୋଗ ସୃଷ୍ଟି କରିଥିଲା ​​| ଏଗୁଡ଼ିକ ହେଉଛି ଅତ୍ୟଧିକ ସଠିକ୍ କାସ୍୧୪ ପୁଷ୍ଟିସାର (Cas14 protein) ଏବଂ ଏକକ ମାର୍ଗଦର୍ଶକ ଆରଏନଏ (sg RNA) ଯାହା ଅଭିଯାନ୍ତ୍ରିତ ଇ. କୋଲି ବୀଜାଣୁ ବ୍ୟବହାର କରି ତିଆରି ହୋଇଛି | 
Cas14 Protein

ସେମାନେ ମିଳିତ ଭାବରେ ଏକ ଜଟିଳ ଅଣୁ ଗଠନ କରନ୍ତି ଏବଂ ଯକ୍ଷ୍ମା ସୃଷ୍ଟି କରୁଥିବା ବୀଜାଣୁ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବରକୁଲୋସିସ ଜିନରେ ଔଷଧ ପ୍ରତିରୋଧକ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତି - ସନ୍ଦେହଜନକ ଔଷଧ ପ୍ରତିରୋଧକ ଯକ୍ଷ୍ମା ରୋଗୀଙ୍କ ଛେପ ନମୁନାରୁ ପୃଥକ | ପରିବର୍ତ୍ତନଗୁଡିକ ଚିହ୍ନଟ କରିବା ପରେ, ଏହା ଫ୍ଲୋରୋସେନ୍ସ-କ୍ୱେଞ୍ଚର୍ (FQ) ଏସ୍ ଏସ୍ ଡିଏନଏ (ssDNA) ସୂଚନା ପ୍ରଦାନକାରୀମାନଙ୍କ ମଧ୍ୟରେ ଏକ ଖଣ୍ଡ ସୃଷ୍ଟି କରିଥାଏ ଏବଂ ନିର୍ଗତ ଫ୍ଲୋରୋସେନ୍ସ ଆଲୋକ ଫ୍ଲୋରୋସେନ୍ସ ଆନାଲିସିସ୍ ସଫ୍ଟୱେୟାର ବ୍ୟବହାର କରି ମୋବାଇଲ୍ ଫୋନ୍ କ୍ୟାମେରା ଦ୍ୱାରା ଚିହ୍ନଟ ହୋଇପାରିବ |

ଏହି ସୁଲଭ କିଟ୍ ଭାରତର ଦୁର୍ଗମ ଅଞ୍ଚଳରେ ସହଜରେ କାର୍ଯ୍ୟକାରୀ ହୋଇପାରିବ ଯେଉଁଠାରେ ଆର୍ଥିକ ଦୃଷ୍ଟିରୁ ପଛୁଆ ରୋଗୀମାନେ ସଠିକ୍ ନିରାକରଣ ଏବଂ ସମ୍ଭାବ୍ୟ ଏମ୍ ଡି ଆର୍- ଟିବି ବିସ୍ତାର ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ପାରୁନାହାନ୍ତି | ଯେହେତୁ ଆମର କିଟ୍ ସୁଲଭ, ସହଜରେ ପରିଚାଳିତ ଏବଂ ମିତବ୍ୟୟୀ ହେବ, ଗ୍ରାମାଞ୍ଚଳ ତଥା ସହରଠାରୁ ଦୂରରେ ରହୁଥିବା ରୋଗୀମାନେ ଏମ୍ ଡି ଆର୍- ଟିବି ଚିହ୍ନଟ ପାଇପାରିବେ | ଏହା ଏମ୍ ଡି ଆର୍- ଟିବି ରୋଗୀଙ୍କ ସଂଖ୍ୟା ହ୍ରାସ କରିବ ଯାହାକି ପୂର୍ବରୁ ଲୋକଲୋଚନକୁ ଆସି ପାରୁନଥିଲା | ଯକ୍ଷ୍ମା ଏବଂ ଏମ୍ ଡି ଆର୍- ଟିବି ରୋଗୀଙ୍କୁ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ଅଲଗା କରାଯାଇପାରିବ | ଏମ୍ ଡି ଆର୍- ଟିବି ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ବହୁମୂଲ୍ୟ ସମୟ ବଞ୍ଚେଇ ପାରିବ ଯାହା ବିଳମ୍ବ ଚିହ୍ନଟ ହେତୁ ପୂର୍ବରୁ ନଷ୍ଟ ହୋଇଯାଉଥିଲା ଏବଂ ଏହିପରି ଯକ୍ଷ୍ମା ରୋଗୀ ସଂଖ୍ୟା ହ୍ରାସ ପାଇପାରିବ |

ଶେଷରେ, ଆମର ପ୍ରକଳ୍ପର ଧାରଣାର ପ୍ରମାଣ ଉପରେ ସଫଳତାର ସହିତ କାର୍ଯ୍ୟ କରିବା ପରେ, ଆମେ କିଟ୍ ର ଏକ କାର୍ଯ୍ୟ ପ୍ରୋଟୋଟାଇପ୍ ନକ୍ସା ତିଆରି କରିବାକୁ ଯୋଜନା କରୁଛୁ | ଆମେ ଆଶା କରୁଛୁ ଯେ ଆମର ପ୍ରତିଜ୍ଞାବଦ୍ଧ ପ୍ରକଳ୍ପ ନିଶ୍ଚିତ ଭାବରେ ଭାରତ ତଥା ବିଶ୍ୱରେ ଯକ୍ଷ୍ମା ରୋଗର ମୁକାବିଲା କରିବାରେ ସାହାଯ୍ୟ କରିବ।
You can follow our social media to stay connected with us and get more updates on our project: https://linktr.ee/iGEM_iiserbpr

References:

Title: Cryo-EM structure of the Cas12f1-sgRNA-target DNA complex

Reference: https://www.rcsb.org/structure/7C7L

(FYI: Cas12f1 is the same Cas14a1; just a different nomenclature)


Written By-
Akankshya Sahu

Post a Comment

0 Comments
* Please Don't Spam Here. All the Comments are Reviewed by Admin.