ଇଂରାଜୀ ରେ ଏହି ଲେଖା କୁ ପଢ଼ିବା ପାଁଇ ଏଠାରେ କ୍ଲିକ୍ କରନ୍ତୁ ।
ବିଜ୍ଞାନରେ ପ୍ରାୟତଃ ଅଧିକାଂଶ ଚିତ୍ତାକର୍ଷକ ଘଟଣାବଳୀ ସରଳ ଘଟଣାର ଫଳାଫଳ ଅଟେ ତଥା ଆମେ ଆମ ଚାରିପାଖରେ ଦେଖୁଥିବା ବିକିରଣର ବହୁଳତା ପାଇଁ ମଧ୍ୟ ଏହା ସତ୍ୟ ଅଟେ । ଏହି ସବୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏକ ସରଳ ଘଟଣାରୁ, ତାହା ହେଉଛି - ଚାର୍ଜର ଦୋଳନ । ଏକ ଦୋଳନରତ ବୈଦ୍ୟୁତିକ ଚାର୍ଜ ଦୋଳନରତ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି କରିଥାଏ, ଯାହା ମାକ୍ସ୍ୱେଲଙ୍କ ସମୀକରଣ ଅନୁସାରେ ବୈଦ୍ୟୁତିକ କ୍ଷେତ୍ର ସହିତ ଲମ୍ବ ଭାବରେ ଦୋଳନରତ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଥାଏ । ଏହି ବିଦ୍ୟୁତ୍ - ଚୁମ୍ବକୀୟ କ୍ଷେତ୍ର ସମାନ ଅବୃତ୍ତିରେ ଦୋଳାୟିତ ହୋଇଥାଏ, ଯେଉଁ ଅବୃତ୍ତିରେ ଏହାକୁ ସୃଷ୍ଟି କରିଥିବା ଚାର୍ଜ ଦୋଳାୟିତ ହୋଇଥାଏ । ଏହି ଦୋଳନରତ କ୍ଷେତ୍ରଟି ଶୂନ୍ୟ ବା ଯେକୌଣସି ମାଧ୍ଯମରେ ଗତିକରିପାରେ ଯାହାକୁ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ବୋଲି କୁହାଯାଏ । ( ଚିତ୍ର-୧ )
ଚିତ୍ର ୧ : ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗର ଗତି |
ଏକ ବୈଦ୍ୟୁତିକ (କିମ୍ଵା ଚୁମ୍ବକୀୟ) କ୍ଷେତ୍ର ପ୍ରତି ସେକେଣ୍ଡରେ ଯେତେ ଗୋଟି ଘୂର୍ଣ୍ଣନ ସମ୍ପୁର୍ଣ୍ଣ କରେ, ତାହାକୁ ବିଦ୍ୟୁତ୍ - ଚୁମ୍ବକୀୟ ତରଙ୍ଗର ଆବୃତ୍ତି କୁହାଯାଏ । ଏକ ତରଙ୍ଗ ଏକ ଘୂର୍ଣ୍ଣନରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ତରଙ୍ଗର ତରଙ୍ଗ ଦୈର୍ଘ୍ୟ କୁହାଯାଏ । ଯଦିଓ ଏହି ତରଙ୍ଗଗୁଡ଼ିକ ଆଲୋକର ବେଗରେ (ଶୂନ୍ୟସ୍ଥାନରେ) ଗତି କରନ୍ତି, ସେମାନେ ବିଭିନ୍ନ ଆବୃତ୍ତି, ତରଙ୍ଗ ଦୈର୍ଘ୍ୟ ଏବଂ ଶକ୍ତିରେ ତାହା କରନ୍ତି । ଆବୃତ୍ତି (କିମ୍ଵା ତରଙ୍ଗ ଦୈର୍ଘ୍ୟ ) ଉପରେ ନିର୍ଭର କରି ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଗୁଡ଼ିକ ବିଦ୍ୟୁତ୍ ଚୁମ୍ବକୀୟ ବର୍ଣ୍ଣାଳୀ ଗଠନ କରନ୍ତି । ଏହି ବର୍ଣ୍ଣାଳୀ ସମସ୍ତ ବିଦ୍ୟୁତ୍ ଚୁମ୍ବକୀୟ ବିକିରଣର ପରିସରକୁ ଧାରଣ କରିଥାଏ, ଯାହାର ବିସ୍ତୃତି ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ତରଙ୍ଗ (ବେତାର ରଶ୍ମି) ଠାରୁ ଆରମ୍ଭ କରି କମ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ତରଙ୍ଗ (ଗାମା ରଶ୍ମି) ପର୍ଯ୍ୟନ୍ତ ଅଟେ ଯାହାର ମାତ୍ରା ୧୦୨୫ ହର୍ଜ । ଯାହା ଚିତ୍ର-୨ ରେ ଚିତ୍ରିତ ହୋଇଛି ।
ଚିତ୍ର ୨ : ବିଦ୍ୟୁତ୍ ଚୁମ୍ବକୀୟ ବର୍ଣ୍ଣାଳୀ |
ଯେତେବେଳେ ଆମେ ବିଦ୍ୟୁତ୍ ଚୁମ୍ବକୀୟ ବର୍ଣ୍ଣାଳୀ ବିଷୟରେ କଥା ହେଉ, ଏହାର ଅପରିହାର୍ଯ୍ୟ ଅଂଶ - ଉତ୍ସର୍ଜନ ବର୍ଣ୍ଣାଳୀ ଓ ଅବଶୋଷଣ ବର୍ଣ୍ଣାଳୀ ବିଷୟରେ ଆଲୋଚନାକୁ ହାତଛଡ଼ା ନ କରିବା ବାଧ୍ୟତାମୂଳକ ହୋଇଯାଏ । ଏହି ଦୁଇଟି ଘଟଣା ହେଉଛି ଏକ ଅଣୁ କିମ୍ଵା ପରମାଣୁ ନିଜେ କିମ୍ଵା ପରମାଣୁର ଉପାଦାନ ଗୁଡ଼ିକର (ମୁଖ୍ୟତଃ ଇଲେକ୍ଟ୍ରନ) ର କ୍ଵାଣ୍ଟମ ଗୁଣର ଫଳାଫଳ । ଏକ ପରମାଣୁ ଭିନ୍ନ ସଂଖ୍ୟକ ଶକ୍ତି ଅବସ୍ଥାରେ ବିଦ୍ୟମାନ ହୋଇପାରେ । ପୃଥକ୍ ପରମାଣୁ ଗୁଡିକ ବିଦ୍ୟୁତ୍ ଚୁମ୍ବକୀୟ ବିକିରଣର ପ୍ୟାକେଟ ଅବଶୋଷଣ ଏବଂ ନିର୍ଗତ କରିପାରନ୍ତି, ଯାହା ପରମାଣୁର ବିସ୍ତୃତ ପରମାଣୁ ଗଠନଦ୍ଵାରା ନିର୍ଦ୍ଦିଷ୍ଟ ଶକ୍ତି ଧାରଣ କରିଥାଏ । ଯେତେବେଳେ ସଂପୃକ୍ତ ଆଲୋକ ଏକ ପ୍ରିଜିମ୍ କିମ୍ଵା ଗ୍ରେଟିଂ ଦେଇ ଯାଏ, ଏହାର ତରଙ୍ଗ ଦୈର୍ଘ୍ୟ ଅନୁଯାୟୀ ପୃଥକ୍ ଭାବରେ ଅଲଗା ହୁଏ, ଯେପରି ଚିତ୍ର-୩ ରେ ଚିତ୍ରିତ ହେଇଛି ।
ଉତ୍ସର୍ଜନ ବର୍ଣ୍ଣାଳୀ (Emission spectrum)
ଉତ୍ସର୍ଜନ ବର୍ଣ୍ଣାଳୀ ପତଳା ଗ୍ୟାସ ଦ୍ଵାରା ଉତ୍ପନ୍ନ ହୋଇଥାଏ ଯେଉଁଥିରେ ପରମାଣୁ ଗୁଡ଼ିକ ଅନେକ ଧକ୍କା ଅନୁଭବ କରନ୍ତି ନାହିଁ (କମ୍ ଘନତା ହେତୁ ) । ଉତ୍ସର୍ଜନ ରେଖା ଗୁଡ଼ିକ ପୃଥିକ ଶକ୍ତିର ଫୋଟନ ସହିତ ଅନୁରୂପ ଅଟନ୍ତି ଯାହା ଗ୍ୟାସର ଉତ୍ତେଜିତ ପରମାଣୁ ଅବସ୍ଥାରେ ନିମ୍ନରେ ଥିବା ସ୍ତରକୁ ଫେରିବା ସମୟରେ ନିର୍ଗତ ହୁଏ ।
ଚିତ୍ର ୩ : ଅନବଚ୍ଛେଦ, ଉତ୍ସର୍ଜନ ଓ ଅବଶୋଷଣ ବର୍ଣ୍ଣାଳୀର ଉତ୍ପତ୍ତି |
ଅନବଚ୍ଛେଦ ବର୍ଣ୍ଣାଳୀ (Continuum spectrum)
ଯେତେବେଳେ ଗ୍ୟାସ୍ର ଚାପ ଅଧିକ ହୋଇଯାଏ ସେତେବେଳେ ଅନବଚ୍ଛେଦ ବର୍ଣ୍ଣାଳୀ ଦେଖାଯାଏ, ତେଣୁ ପରମାଣୁ ମଧ୍ୟରେ ଧକ୍କା ହେଵା ଦ୍ଵାରା ରେଖା ବିସ୍ତାର ହୋଇଯାଏ, ଯେପର୍ଯ୍ୟନ୍ତ ସେଗୁଡିକ ଅନବଚ୍ଛେଦ ରେ ପରିଣତ ନ ହୋଇଛନ୍ତି। ଆମେ ଅନବଚ୍ଛେଦ ବର୍ଣ୍ଣାଳୀକୁ ନିର୍ଗମନ ବର୍ଣ୍ଣାଳୀ ଭାବରେ ଦେଖିପାରିଵା ଯେଉଁଥିରେ ରେଖା ଗୁଡ଼ିକ ପରସ୍ପର ସହିତ ଲଗାଲଗି ହୋଇଥାଏ ଏବଂ ଏକ ନିର୍ଗମନ ରେଖା ଭାବରେ ଆଉ ଫରକ କରାଯାଇପାରିବ ନାହିଁ ।
ଅବଶୋଷଣ ବର୍ଣ୍ଣାଳୀ (Absorption spectrum)
ଆଲୋକ ଥଣ୍ଡା ଓ କମ୍ ସାନ୍ଦ୍ରତା ବିଶିଷ୍ଟ ଗ୍ୟାସ ଦେଇ ଗତି କରିବା ସମୟରେ ଏକ ଅବଶୋଷଣ ବର୍ଣ୍ଣାଳୀ ସୃଷ୍ଟି ହୁଏ ଓ ଗ୍ୟାସର ପରମାଣୁମାନେ ଏକ ନିର୍ଦ୍ଧିଷ୍ଟ ଆବୃତ୍ତି ବିଶିଷ୍ଟ ତରଙ୍ଗର ଆଲୋକକୁ ଅବଶୋଷଣ କରନ୍ତି; ଯେହେତୁ ପୁନଃ-ନିଃସୃତ (re-emitted) ଆଲୋକ, ପୂର୍ବରୁ ଆସୁଥିବା ଆଲୋକ ଦିଗରେ ଫେରିନଥାଏ, ତେଣୁ ଏହା ବର୍ଣ୍ଣାଳୀରେ ଏକ ଅନ୍ଧକାର ରେଖା (dark line) ସୃଷ୍ଟି କରେ।
ଉତ୍ସର୍ଜନ ଓ ଅବଶୋଷଣ ବର୍ଣ୍ଣାଳୀ ପରସ୍ପରର ପରିପୂରକ ଭାବେ ଦୃଶ୍ୟମାନ ହୁଅନ୍ତି। ଏହା ସହିତ ପରମାଣୁ, ଅଣୁ ଓ ଆୟନମାନଙ୍କ ସହ ସଂଯୁକ୍ତ ବର୍ଣ୍ଣାଳୀ ଓ ବିଦ୍ୟୁତ-ଚୁମ୍ବକୀୟ ବିକିରଣ ପରସ୍ପର ଦ୍ଵାରା ପ୍ରଭାବିତ ହୁଅନ୍ତି ଏବଂ ଏକ ନୂତନ ବର୍ଣ୍ଣାଳୀ ସୃଷ୍ଟି କରିପାରନ୍ତି। ମୌଳିକ ଆଣବିକ ଓ ପାରମାଣବିକ କାରଣରୁ ଆଣବିକ ବର୍ଣ୍ଣାଳୀ ସାଧାରଣତଃ ଅବଲୋହିତ ରଶ୍ମି କ୍ଷେତ୍ରରେ ଆସିଥାଏ।
ଆମ ଚତୁଃପାର୍ଶ୍ଵର ପରିବେଶ ବିଦ୍ୟୁତ ଚୁମ୍ବକୀୟ ବିକିରଣ ଦ୍ଵାରା ଭର୍ତ୍ତି ହୋଇରହିଛି। ଆମ ଦୈନନ୍ଦିନ ଜୀବନରେ ସମସ୍ତ କାର୍ଯ୍ୟକଳାପ ଯଥା: ଆଲୋକ ଓ ବସ୍ତୁର ପରସ୍ପର ପ୍ରତି ପ୍ରଭାବ ଆଦି ବିଦ୍ୟୁତ ଚୁମ୍ବକୀୟ ବିକିରଣ ଦ୍ଵାରା ସମ୍ଭବ ହୋଇ ପାରିଛି। ଏହି କାରଣରୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଓ ଏହାର ପ୍ରଭାବର ଅଧ୍ୟୟନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ଆବଶ୍ୟକ ହୋଇପାରିଛି। ତେଣୁ, "ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଆମ ଅତୀତକୁ ପ୍ରକାଶିତ କରିଛି, ବର୍ତ୍ତମାନକୁ ଆଲୋକିତ କରୁଛି ଓ ଭବିଷ୍ୟତକୁ ଉଜ୍ଜ୍ବଳ କରିବ" ଏହା କହିବା ସମ୍ପୂର୍ଣ୍ଣ ରୂପେ ଯଥାର୍ଥ ଅଟେ।ଆଧାର :
- https://www.pas.rochester.edu/~blackman/ast104/absorption.html
- https://www.britannica.com/science/electromagnetic-spectrum
- www.rfcafe.com (ଚିତ୍ର - ୧ ନିମନ୍ତେ)
- www.thecolouragency.com (ଚିତ୍ର -୨ ନିମନ୍ତେ)
- https://www.pas.rochester.edu/~blackman/ast104/absorption.html (ଚିତ୍ର ୩ ନିମନ୍ତେ)
Written By-